ଭୁବନେଶ୍ବର: ଲମ୍ବା ଭାଷଣ ଓ ବଡ ବଡ ହୋର୍ଡିଂ ବିଜ୍ଞାପନରେ ବିକାଶ ହୁଏନି। ବିକାଶ ପାଇଁ ଆନ୍ତରିକତା ରହିବା କଥା, ଯାହାକି ବର୍ତ୍ତମାନ ସରକାର ପାଖରେ ନାହିଁ। ବିଜେପି ସରକାରକୁ ଆଜି ଏଭଳି ଶାଣିତ ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ଶଂଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ବାବୁ ବିଜେପି ସରକାରର ବିଫଳତାର ତାଲିକା ରଖିଥିଲେ। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି ମାଲିକ। ଜନାଦେଶ ବଳରେ ଆମେ ଆଜି ବିରୋଧୀ ଦଳରେ ବସିଛୁ ଏବଂ ବିଜେଡି ଏକ ଦାୟିତ୍ବ ସମ୍ପନ୍ନ ବିରୋଧୀ ଦଳ ଭାବରେ କାମ କରୁଛି।
ବିଜେପି ସରକାର ଓଡ଼ିଶାର ଶାସନ ଦାୟିତ୍ୱ ନେବାର ଏକ ବର୍ଷ ହୋଇଗଲା। କୁହାଯାଉଛି ଲୋକଙ୍କ ସରକାର, କିନ୍ତୁ ଲୋକ କାହାନ୍ତି ? କେବଳ ଲମ୍ବା ଭାଷଣ, ବଡ଼ ବଡ଼ ବିଜ୍ଞାପନରେ ବିକାଶ ଆସେ ନାହିଁ।
ଆମ ସରକାର ସମୟରେ ଓଡ଼ିଶାର ୯୦% ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକାର ପାଉଥିଲେ। ଆଜି ଆୟୁଷ୍ମାନ ଭାରତ ଆରମ୍ଭ ହୋଇଛି। ଲୋକମାନେ ଔଷଧ ପାଉନାହାନ୍ତି। ବିନା ଟଙ୍କାରେ ହସ୍ପିଟାଲରେ ଚିକିତ୍ସା ହୋଇପାରୁ ନାହିଁ ।
ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ମା’ମାନେ ହଇରାଣ, ବୁଢ଼ାବୁଢ଼ି ହଇରାଣ, କ୍ୟାନ୍ସର ରୋଗୀ ହଇରାଣ ଏବଂ ପିଲାମାନେ ହଇରାଣ ହେଉଛନ୍ତି। ସ୍ଵାସ୍ଥ୍ୟ ବ୍ୟବସ୍ଥା ପୁରା ଭୁଷୁଡି ପଡିଛି। ୩୦ଟି ଜିଲ୍ଲାରୁ ୧୯ ଟି ଜିଲ୍ଲାରେ ସିଡିଏମଓ ପଦବୀ ଖାଲିପଡ଼ିଛି। ଏହା ହେଉଛି ବର୍ତ୍ତମାନ ସରକାରର ସଫଳତା।
ମିଶନ ଶକ୍ତି ଦ୍ୱାରା ସତୁରି ଲକ୍ଷ ମା’ମାନେ ସଶକ୍ତ ହୋଇଥିଲେ। ଗୋଟିଏ ବର୍ଷ ଭିତରେ ମିଶନ ଶକ୍ତିର ଗତିକୁ ଦୁର୍ବଳ କରିବା ହେଉଛି ଏ ସରକାରର ସଫଳତା। ବ୍ୟାଙ୍କରେ ମା’ମାନେ ହଇରାଣ ହେଉଛନ୍ତି। ସରକାରୀ କାର୍ଯ୍ୟାଳୟରେ ମା’ମାନଙ୍କ କାମ ହେଉନାହିଁ। ଦୁବାଇ ଓ ସିଙ୍ଗାପୁର ଯାଇଥିବା ମା’ମାନେ ଆଜି ଘରେ ବସି ହତାଶ। ମା’ମାନଙ୍କ ଆତ୍ମବିଶ୍ବାସ ଭାଙ୍ଗି ଯାଇଛି। ଏହା ହେଉଛି ଏ ସରକାରର ବଡ଼ ସଫଳତା। ଆମ ସରକାର ସମୟରେ ମିଶନ ଶକ୍ତି ଆନ୍ଦୋଳନ ସାରା ଭାରତରେ ରାଜ୍ୟ ପାଇଁ ସୁନାମ ଆଣିଥିଲା। ତେଣୁ ମା’ମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିବା ଏ ସରକାରର ସବୁଠାରୁ ବଡ଼ ଭୁଲ୍। ମା’ମାନେ ଏହାକୁ କେବେ କ୍ଷମା ଦେବେ ନାହିଁ।
ନିର୍ବାଚନ ସମୟରେ କୁହାଗଲା କଟନୀଛଟନୀ ବନ୍ଦ ହେବ। ସବୁ ଚାଷୀ ଏମ୍ଏସପି ପାଇବେ। ଆମ ଭିତରେ ବହୁ ଚାଷୀ ଭାଇଭଉଣୀ ଅଛନ୍ତି। ଆପଣ କୁହନ୍ତୁ କଟନୀ ଛଟନୀ ବନ୍ଦ ହୋଇଛି କି ? ମିଲରଙ୍କ ଦୟାରେ ଏବେ ଚାଷୀ। ସରକାରଙ୍କୁ ଭୟ ନାହିଁ। ଚାଷୀମାନେ କାହାକୁ ଗୁହାରି କରିବେ ? ଚାଷୀ କୃଷି ଋଣ ପାଇବାରେ ହଇରାଣ ହେଉଛନ୍ତି। ବିଜେଡି ସମୟରେ ରେକର୍ଡ ପରିମାଣରେ ଜଳସେଚନ ହୋଇଥିଲା।
ଚାଲିଥିବା କାମକୁ ଏମାନେ ବନ୍ଦ କରିଦେଲେ। ଲୋକଙ୍କ ସରକାର। କିନ୍ତୁ ଲୋକ ନାରଖାର। ଲୋକ ଚେତିଲେଣି। ସରକାର ବୁଝନ୍ତୁ।
୨୦୦୦ ମସିହାରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଋଣଭାର ଥିଲା ୧୮ ହଜାର କୋଟି। ଓଭର୍ ଡ୍ରାପ୍ଟରେ ସରକାର ଚାଲିଥିଲା। ୨୦୨୪ରେ ଆମେ ଦାୟିତ୍ୱ ଛାଡିବାବେଳେ ସରକାରୀ ରାଜକୋଷରେ ଅତିରିକ୍ତ ଥିଲା ୪୫ ହଜାରେ କୋଟି। କିନ୍ତୁ ଏବେ ରେକର୍ଡ ପରିମାଣର ଋଣରେ ସରକାର ଚାଲିଛି।
୨୦୦୫-୦୬ରେ ଓଡି଼ଶାର ଗରିବୀ ୬୩.୮୩% ଥିବାବେଳେ ୨୦୨୩ ରେ ଏହା ୧୧.୦୭% କୁ ଆସିଥିଲା। ୧୦୭.୭୮ ଲକ୍ଷ ଲୋକ ଗରିବୀ ସୀମାରେଖା ଉପରକୁ ଉଠିଥିଲେ । ଆଇଏମ୍ଆର, ଏମ୍ଏମ୍ଆର ଆଦି ସବୁ ବିକାଶ ସୂଚକରେ ଆଖିଦୃଶିଆ ସୁଧାର ଆସିଥିଲା।
ବିଜେଡି ବିରୋଧୀ ଦଳ ଭାବରେ ଲୋକଙ୍କ ସାଥିରେ ରହିଛି। ଲୋକଙ୍କ କଲ୍ୟାଣ ଓ ଓଡି଼ଶାର ଉନ୍ନତି ପାଇଁ ସବୁବେଳେ ଆଗକୁ ଆସିଛି। ମୁଁ ଆଶା କରିବି ଏଠିଥିବା ନେତାମାନେ ଓ ଗାଁରେ ଥିବା କର୍ମୀମାନେ ଲୋକଙ୍କ ସେବା ଜାରି ରଖିବେ।
ସରକାରର ବର୍ଷପୂର୍ତ୍ତିରେ ନବୀନଙ୍କ ସମାଲୋଚନା: ବିଜ୍ଞାପନରେ ବିକାଶ ହୁଏନି News Room Odisha.
Read More Details
Finally We wish PressBee provided you with enough information of ( ସରକାରର ବର୍ଷପୂର୍ତ୍ତିରେ ନବୀନଙ୍କ ସମାଲୋଚନା: ବିଜ୍ଞାପନରେ ବିକାଶ ହୁଏନି )
Also on site :